ନିରଞ୍ଜନ ରାଉତଙ୍କୁ ନୃତ୍ୟପ୍ରତିଭା ଓ ଫନି ମହାନ୍ତିଙ୍କୁ ସାହିତ୍ୟ ସମ୍ମାନ
୨୩ରୁ ଅଷ୍ଟାଦଶ ଆନ୍ତର୍ଜାତୀକ ୬୪ ଯୋଗିନୀ ମହୋତ୍ସବ
ଭୁବନେଶ୍ବର:ପ୍ରତିବର୍ଷ ଭଳି ଚଳିତ ବର୍ଷ ଆସନ୍ତା ୨୩, ୨୪, ୨୫ ରେ ନୃତ୍ୟପ୍ରତିଭା ଓ ହୀରାପୁର ଗ୍ରାମ୍ୟ କମିଟି ସହଯୋଗରେ ଅନୁଷ୍ଠିତ ହେବ ଅଷ୍ଟାଦଶ ୬୪ ଯୋଗିନୀ ମହୋତ୍ସବ। ଏଥିରେ ଓଡିଶୀ ନୃତ୍ୟଗୁରୁ ତଥା କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କୃତ ଗୁରୁ ନିରଞ୍ଜନ ରାଉତଙ୍କୁ ଚଳିତ ବର୍ଷ ୬୪ ଯୋଗିନୀ ‘ନୃତ୍ୟପ୍ରତିଭା’ ସମ୍ମାନରେ ସମ୍ମାନୀତ କରାଯିବ। ଏନେଇ ଆଜି ବିଦ୍ଧିବଦ୍ଧ ଭାବେ ଘୋଷଣା କରିଛନ୍ତି ଆୟୋଜକ। ସେହିପରି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କୃତ ଡଃ. ଫନି ମହାନ୍ତିଙ୍କୁ ୬୪ ଯୋଗିନୀ ସାହିତ୍ୟ ସମ୍ମାନ, ପଦ୍ମଶ୍ରୀ ଶିରୋମଣି ରଘୁନାଥ ପାଣିଗ୍ରାହୀଙ୍କ ପୁଅ ବାବୁ ପାଣିଗ୍ରାହୀଙ୍କୁ ୬୪ ଯୋଗିନୀ ସଙ୍ଗୀତ ସମ୍ମାନ ପ୍ରଦାନ କରାଯିବ। ସେହିପରି ଓଡ଼ିଆ ଚଳଚିତ୍ର ଜଗତର ଲୋକପ୍ରିୟ ଅଭିନେତ୍ରୀ ତ୍ରିପୁରା ମିଶ୍ରଙ୍କୁ ଜୀବନ ବ୍ୟାପି ସାଧନା ନିମନ୍ତେ ୬୪ ଯୋଗିନୀ ସମ୍ମାନରେ ସମ୍ମାନୀତ କରାଯିବ। ସେହିପରି ୩ ଦିନ ହେବାକୁ ଥିବା ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡିଶୀ ସଙ୍ଗୀତ, ଓଡିଶୀ ନୃତ୍ୟ, ଭରାତନାଟ୍ୟମ, କୁଚୁପୁଡି, ପଶୁ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ମୟୁରଭଞ୍ଜର ଛଉ ନୃତ୍ୟ, କୋରାପୁଟର ବଣ୍ଡା ନୃତ୍ୟ ପ୍ରଭୃତି ପରିବେଷଣ ହେବ ବୋଲି ନୃତ୍ୟପ୍ରତିଭାର ସଭାପତି ଡଃ ରଜନୀ ରଞ୍ଜନ ଦାଶ, ସମ୍ପାଦକ ଗୁରୁ ପ୍ରତିଭା ପଣ୍ଡା କହିଛନ୍ତି। ଦୀର୍ଘବର୍ଷ ଧରି ଚାଲୁଥିବା ଏହି କାର୍ଯ୍ୟକ୍ରମଟିକୁ ସରସ ସୁନ୍ଦର କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଆୟୋଜକ।