ଇଂଲାଣ୍ଡର ଜଣାଶୁଣା ଓଡ଼ିଆ ଡାକ୍ତର ତଥା ବହୁମୁଖୀ ପ୍ରତିଭାବାନ ବ୍ୟକ୍ତିତ୍ୱ ଡକ୍ଟର ନୀଳ କଣ୍ଠ ମିଶ୍ରଙ୍କ ପରଲୋକ
ବ୍ଲାକବର୍ଣ, ଇଂଲାଣ୍ଡ – ଇଂଲାଣ୍ଡର ଓଡିଆ ସମାଜରେ ସୁପରିଚିତ ଓ ସର୍ବପ୍ରିୟ ବ୍ୟକ୍ତିତ୍ୱ ଡକ୍ଟର ନୀଳ କଣ୍ଠ ମିଶ୍ରଙ୍କ ଜୁନ୍ 9, ତାରିଖ ଦିନ 82 ବର୍ଷ ବୟସରେ ଦେହାନ୍ତ ଘଟିଛି ।
ଅକ୍ଟୋବର 7, 1941 ରେ ଓଡ଼ିଶାର ଦିଗପହଣ୍ଡିରେ ଜନ୍ମଗ୍ରହଣ କରିଥିବା ଡ ମିଶ୍ର ଅଳ୍ପ ବୟସରୁ ଜଣେ କୃତୀ ଛାତ୍ର ଥିଲେ । ସେ ରାଜ୍ୟ ସ୍ତରରେ ଉଚ୍ଚ ବିଦ୍ୟାଳୟ ପରୀକ୍ଷା ରେ ନିଜ ଗାଁ ରୁ ପ୍ରଥମ ଥର ଶୀର୍ଷ ସ୍ଥାନ ଗ୍ରହଣ କରିଥିଲେ । ଡ଼ ମିଶ୍ର ଓଡିଶାର କଟକ ସ୍ଥିତ ଏସସିବି ମେଡିକାଲ କଲେଜରୁ ଡାକ୍ତରୀ ଶିକ୍ଷା ପ୍ରାପ୍ତ କରିଥିଲେ । କିଛି ଦିନ ଓଡିଶା ସରକାରଙ୍କ ସେବା ପରେ ପରବର୍ତ୍ତୀ ସୁଯୋଗ ସନ୍ଧାନରେ ସେ ସତୁରି ଦଶକରେ ସପରିବାର ବ୍ରିଟେନକୁ ଚାଲିଗଲେ, ଯେଉଁଠାରେ ସେ ଉଚ୍ଚ ଶିକ୍ଷା ହାସଲ କରିଥିଲେ ଏବଂ ତାଙ୍କର ଏମଆରସିପି ଯୋଗ୍ୟତା ଅର୍ଜନ କରି ଆଭ୍ୟନ୍ତରୀଣ ଚିକିତ୍ସାରେ ବିଶେଷଜ୍ଞ ଭାବରେ ସ୍ୱାସ୍ଥ୍ୟସେବା ଆରମ୍ଭ କରିଥଲେ ।
ଡ ମିଶ୍ର ତାଙ୍କ ଜୀବନର ଚାରି ଦଶନ୍ଧି ଧରି ଇଂଲାଣ୍ଡ ର ବିଭିନ୍ନ ସ୍ଥାନରେ ସେବା ଯୋଗାଇଲା ସହ ଶେଷ ରେ ବ୍ଲାକବର୍ଣ ଠାରେ ଜଣେ ଚିକିତ୍ସକ ଭାବରେ କାର୍ଯ୍ୟ କରି ସେବାନିବୃତ ହୋଇଥିଲେ । ତାଙ୍କର ଦୟାଳୁ ବ୍ୟବହାର, ଡାକ୍ତରୀ ଜ୍ଞାନ, ନୀତି, ଆଦର୍ଶ ଏବଂ ପରୋପକାର ପାଇଁ ରୋଗୀ ଏବଂ ସହକର୍ମୀମାନଙ୍କ ଅତ୍ୟନ୍ତ ପ୍ରିୟ ଥିଲେ | ସେ ଅନେକ ସମାଜ ମଙ୍ଗଳ କାର୍ଯ୍ୟକୁ ସାଧ୍ୟମତେ ସହଯୋଗ କରୁଥିଲେ ଏବଂ ଓଡିଶାର ନିଜ ଗାଁରେ ଏକ ସ୍ୱାସ୍ଥ୍ୟ ସେବାକେନ୍ଦ୍ର ପ୍ରତିଷ୍ଠା କରିଥିଲେ । ସେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ହସ୍ପିଟାଲର ପ୍ରତିଷ୍ଠାତା ସଦସ୍ୟ ମଧ୍ୟ ଥିଲେ । ନିଜ ବଡ ଭାଇ ସ୍ବର୍ଗତ ସ୍ୱାମୀ ଚେତନାନନ୍ଦ ସରସ୍ବତୀ ଙ୍କ ପ୍ରତିଷ୍ଠିତ ମଠ/ଆଶ୍ରମ ଓ ବିଦ୍ୟାଳୟ ଆଦିକୁ ମଧ୍ୟ ସେ ଆର୍ଥିକ ସହାୟତା ଦେଇଆସୁଥିଲେ ।
ଇଂରାଜୀ, ଓଡିଆ ଏବଂ ସଂସ୍କୃତରେ ବିରଳ ପୁସ୍ତକ ଏବଂ ପୁରାଣଗୁଡ଼ିକର ଏକ ଆକର୍ଷଣୀୟ ସଂଗ୍ରହକୁ ଡକ୍ଟର ମିଶ୍ର ନିଜ ଘରେ ପୁସ୍ତକାଳୟ ଭାବରେ ପ୍ରତିଷ୍ଠା କରିଥିଲେ। ଏପରିକି ସେ ଓଡିଆରେ ଲିଖିତ ବ୍ରିଟିଶ ସଂସ୍କୃତି ଉପରେ ଏକ ପୁସ୍ତକ ରଚନା କରିଥିଲେ, ଯାହା ତାଙ୍କର ଅଗାଧ ପାଣ୍ଡିତ୍ୟର ପରିଚୟ । ସେ ବ୍ରିଟେନର ଓଡିଶା ସୋସାଇଟି ମାଧ୍ୟମରେ ଅନେକ ଓଡିଆ ନାଟକ ଏବଂ ପ୍ରବନ୍ଧ ଲେଖିବା ଏବଂ ନିର୍ଦ୍ଦେଶନା ଦେଇ ଓଡିଆ ସଂସ୍କୃତିର ପୃଷ୍ଠପୋଷକତା କରି ଥିଲେ। ନୂଆ କଥା ଶିଖିବା ଏବଂ ବିଭିନ୍ନ ସଂସ୍କୃତି ବିଷୟରେ ଅଧୟନ କରିବା ପାଇଁ ତାଙ୍କର ଆଗ୍ରହ, ଯେଉଁମାନେ ତାଙ୍କୁ ଜାଣିଥିଲେ ସମସ୍ତଙ୍କୁ ପ୍ରେରଣା ଦେଇ ଆସିଥିଲା |
ଡ ମିଶ୍ରଙ୍କ ପତ୍ନୀ ଶ୍ରୀମତୀ ପ୍ରତୀମା ମିଶ୍ର, ପୁଅ ନିର୍ମଳ, ଦୁଇ ଝିଅ ନୀଳିମା ଏବଂ ଅନିମା, ସାନ ଜ୍ବାଇଁ ଡ ଡେଭିଡ କେ, ବୋହୂ ନିବେଦିତା ଏବଂ ଦୁଇ ନାତୁଣୀ ଅନୁଷା ଏବଂ ମାହିକା ଶେଷ ସମୟରେ ତାଙ୍କ ପାଖରେ ଉପସ୍ଥିତ ଥିଲେ | ତାଙ୍କର ବଡ ଭାଇ ସ୍ୱର୍ଗତ ସ୍ୱାମୀ ଚେତନାନନ୍ଦ ସରସ୍ୱତୀ 2021 ମସିହାରେ ପରଲୋକ ଗମନ କରିଥିଲେ |