ସାଧାରଣନିର୍ବାଚନ ଗଣତି ଅବ୍ୟବହିତ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ବିଜେପି ଲୋକସଭା ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସପତ୍ନୀଙ୍କ ସହ ପ୍ରସିଦ୍ଧ ତନ୍ତ୍ରପିଠ ୬୪ ଯୋଗିନୀ ପିଠ ପରିଦର୍ଶନରେ ଆସିଥିଲେ l ଶ୍ରୀ ପ୍ରଧାନ ପହଞ୍ଚିବା ପରେ ପ୍ରଥମେ ଉମାଦେଇବ୍ରହ୍ମପୁର ପଞ୍ଚାୟତ ସରପଞ୍ଚ ରମାଲତା ନାୟକ, ସମିତିସଭ୍ୟ ରଞ୍ଜନ କୁମାର ମହାପାତ୍ର, ପ୍ରକୃତିବନ୍ଧୁ ଦିନବନ୍ଧୁ ଭୋଇ, ଯୁବ ସମାଜସେଵୀ ତାପସ କୁମାର ମଲ୍ଲିକ ଉପଢୌକନ ଓ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ l ପରେ ପିଠ ପରିସରରେ ମୁଖ୍ୟଦେବୀ ମା’ ମହାମାୟାଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ l ଏଥିସହ ମହାମାୟାଙ୍କୁ ଘେରି ରହିଥିବା ୬୪ ଯୋଗିନୀଙ୍କ ମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ l ପରେ ପିଠ ପରିସରରେ ବୁଲିବାସହ ମନଲୋଭା କାରୁକାର୍ଯ୍ୟକୁ ଉପଭୋଗ କରିଥିଲେ l ସେହିପରି ପିଠ ପରିସରରେ ଥିବା ଶିବ ମନ୍ଦିରରେ ପୁଜାର୍ଚ୍ଚନା କରିଥିଲେ l ଶେଷରେ ପିଠର ମହାତ୍ମ୍ୟ ବିଷୟରେ ଉପସ୍ଥାପନା କରିବା ସହ ଏଥର ଓଡ଼ିଶାରେ ପରିବର୍ତ୍ତନ ଅବଶ୍ୟମ୍ଭାବ୍ୟ ବୋଲି ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ l ପ୍ରଧାନମନ୍ତ୍ରୀଙ୍କୁ ସାରାଦେଶ ତଥା ରାଜ୍ୟରେ ବହୁ ଜନମତ ମିଳିସାରିଛି l ସେହିପରି ଓଡ଼ିଶାରେ ସରକାର ଗଠନ ନେଇ ବିଭିନ୍ନ ମୁଦ୍ରିତ ଓ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଜନମତ(ଏକଜିଟ ପୁଲ)କୁ ନେଇ ପ୍ରଶ୍ନରେ ସେ କହିଥିଲେ ଏହା ପୂର୍ବାନୁମାନ କରାଯାଇଛି l ଏହାର ସତ୍ୟାସତ୍ୟ ଗଣତି ପରେ ଜଣାପଡିବ l ସେହିପରି ଏହି ପିଠଟି ଭାରତୀୟ ପ୍ରତ୍ନତତ୍ତ୍ୱ (ଏଏସଆଇ)ଅଧିନରେ ଥିଲେ ମଧ୍ୟ ସେଭଳି ଆଖିଦୃଶିଆ ହୋଇନଥିବା କିଛି ସାମ୍ବାଦିକ ପ୍ରଶ୍ନ କରିବାରୁ ଏଥିପ୍ରତି ଖୁବଶୀଘ୍ର ଦୃଷ୍ଟି ଦିଆଯିବ ବୋଲି କହିଥିଲେ l ଏହି ସମୟରେ ବିଜେପି ନେତା ସିଦ୍ଧେଶ୍ୱର ନାଥ, ବିଜୟ ମହାରଣା, ସୁବାସ ଜେନା, ପ୍ରିୟବ୍ରତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l