ପ୍ରାଣୀଧନ ନିରୀକ୍ଷକଙ୍କ କାର୍ଯ୍ୟକୁ ନେଇ ଅସନ୍ତୋଷ ଗ୍ରାମବାସୀଙ୍କ କେନ୍ଦ୍ର ସମ୍ମୁଖରେ ହୋ-ହଲ୍ଲା ଜିଲ୍ଲାସ୍ତରୀୟ କମିଟିଙ୍କ ତଦନ୍ତ

 

ବାଲିଅନ୍ତା ବ୍ଲକ ପ୍ରାଣୀଧନ ଚିକିତ୍ସାଳୟ ଅଧିନ ଉମାଦେଇବ୍ରହ୍ମପୁର ପଞ୍ଚାୟତ ଯଶୁଆପୁର ପ୍ରାଣୀଧନ ସହାୟକ କେନ୍ଦ୍ରରେ କାର୍ଯ୍ୟରତ ପ୍ରାଣୀଧନ ନିରୀକ୍ଷକଙ୍କ କାର୍ଯ୍ୟକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା l ଦାୟିତ୍ୱରେ ଥିବା କର୍ମଚାରୀ ଜଣଙ୍କ ଅଧିକାଂଶ ଦିନ କେନ୍ଦ୍ରକୁ ନ ଆସିବା, ଠିକ ସମୟରେ ଆବଶ୍ୟକୀୟ ରୋଗ ପ୍ରତିଷେଧକ ଟୀକା ନ ଦେବାରୁ ଗୋରୁଗାଇଙ୍କ ଅକାଳରେ ମୃତ୍ୟୁ ହେବା, ସେମାନଙ୍କ ବୀମା ନ କରିବା, କେନ୍ଦ୍ରରେ ସରକାରୀ ଔଷଧ ବଣ୍ଟନ ନ କରିବା ଆଦି ସମସ୍ୟା ଉପରେ ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ l ସେହିପରି ବିଭିନ୍ନ ସମୟରେ ଗୋପାଳକ ମାନେ ସେମାନଙ୍କ ଗାଈଗୋରୁଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାର ନିରାକରଣ ନିମନ୍ତେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି l ଏପରିକି କର୍ମଚାରୀଙ୍କୁ କଲ କରି ଜଣାଇଲେ ମଧ୍ୟ ସେମାନେ ଆସନ୍ତିନାହିଁ ବୋଲି ଅଭିଯୋଗ ହୋଇଛି l ଏନେଇ ସମ୍ପୃକ୍ତ ଗ୍ରାମବାସୀ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଆକାରରେ ଅଭିଯୋଗ କରିଥିଲେ l ଅଭିଯୋଗ ପାଇ ଆଜି ଜିଲ୍ଲା ପ୍ରାଣୀଧନ କାର୍ଯ୍ୟାଳୟରୁ ୨ ବରିଷ୍ଠ ଅଧିକାରୀ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଉକ୍ତ କେନ୍ଦ୍ରକୁ ଆସିଥିଲେ l ସମ୍ପୃକ୍ତ ଅଧିକାରୀ ପହଞ୍ଚିବା ପରେ ପ୍ରଭାଵୀତ ଗୋପାଳକ ଓ ଗ୍ରାମବାସୀ ଉକ୍ତ କେନ୍ଦ୍ର ସମ୍ମୁଖରେ ହୋ-ହଲ୍ଲା କରିଥିଲେ l ପ୍ରାୟ ୨0 ଜଣ ଗୋପାଳକ ସେମାନଙ୍କ ସମସ୍ୟା ଉପସ୍ଥାପନା କରିବା ସହ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିବା କହିଥିଲେ l ଏଥିସହ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ବିରୁଦ୍ଧରେ ଅଭିଯୋଗ ମଧ୍ୟ କରିଥିଲେ l ପ୍ରକାଶଥାଉକି ଏହି ବ୍ଲକରେ ୨୪ ହଜାରରୁ ଉର୍ଦ୍ଧ୍ଵ ଗାଈଗୋରୁ ଓ ୨0 ହଜାରରୁ ଉର୍ଦ୍ଧ୍ଵ ଛେଳିମେଣ୍ଢା ଅଛନ୍ତି l ଏମାନଙ୍କ ସ୍ୱାସ୍ଥ୍ୟଅବସ୍ଥା ତଦାରଖ ପାଇଁ ବାଳକାଟି ଓ ବେଣୁପୁରରେ ୨ ଟି ପ୍ରାଣୀଧନ ଚିକିତ୍ସାଳୟ ଥିବାବେଳେ ୧୨ ଟି ପ୍ରାଣୀ ସହାୟକ କେନ୍ଦ୍ର ରହିଛି l ଗାଇଗୋରୁ, ଛେଳିମେଣ୍ଢା ଆଦି ଗୃହପାଳିତ ପଶୁଙ୍କ ସ୍ୱାସ୍ଥ୍ୟ ସମସ୍ୟାର ନିରାକରଣ ନିମନ୍ତେ ଏହି ୧୨ ଟି ସହାୟକ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି l ମାତ୍ର ଅଧିକାଂଶ କେନ୍ଦରେ କର୍ମଚାରୀ ନ ଥିବାବେଳେ ଯେଉଁ କେନ୍ଦ୍ରରେ ପ୍ରାଣୀଧନ ନିରୀକ୍ଷକ(ଏଲ. ଆଇ )ଅଛନ୍ତି ସେମାନେ ବି ସଠିକ କାମ କରୁନଥିବା ଦେଖାଦେଇଛି l ଫଳରେ ଉପଯୁକ୍ତ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ଗୋପାଳକ l ଏଥିପ୍ରତି ଧ୍ୟାନ ଦେବାପାଇଁ ସମିତିସଭ୍ୟ ରଞ୍ଜନ ମହାପାତ୍ର, ଦୁର୍ଯ୍ୟୋଧନ ପ୍ରଧାନ, ସୁରେନ୍ଦ୍ରନାଥ ପ୍ରଧାନ, ବିଷ୍ନୁଚରଣ ପ୍ରଧାନ, ରାଜେନ୍ଦ୍ର ପ୍ରଧାନ, ପ୍ରତାପ ପ୍ରଧାନ ପ୍ରମୁଖ ଗ୍ରାମବାସୀ ଦାବି କରିଛନ୍ତି l

Leave a Reply

Your email address will not be published. Required fields are marked *