ପ୍ରତିକୂଳ ପରିସ୍ଥିତି ଅଟକାଇ ପାରିନି ପାଠପଢା

ବାଲିପାଟଣା: ପ୍ରତିକୂଳ ପରିସ୍ଥିତିରେ କଠିନ ପରିଶ୍ରମ, ଦୃଢ ମନୋବଳ ଏବଂ ଗଭୀର ଆତ୍ମବିଶ୍ଵାସ ଥିଲେ ହିଁ ସଫଳତାର ଚାବିକାଠି। ଏହା ପ୍ରମାଣ କରି ଦେଖାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ସ୍ଥିତ ଶିଶୁ ଅନନ୍ତ ମହାବିଦ୍ୟାଳୟର +୨ ବିଜ୍ଞାନ ବିଭାଗର ଛାତ୍ରୀ ସ୍ବୟଂପ୍ରଜ୍ଞା ସାହୁ । ଗତ +୨ ପରୀକ୍ଷାରେ ବିଜ୍ଞାନ ବିଭାଗରେ ୫୪୮(୯୧.୩୩%) ମାର୍କ ରଖି କେବଳ ଶିଶୁ ଅନନ୍ତ ମହାବିଦ୍ୟାଳୟ ନୁହେଁ ବରଂ ଦୁଇଟି ଯାକ ବାଲିଅନ୍ତା ଏବଂ ବାଲିପାଟଣାରେ ଟପ୍ପର ହୋଇଛନ୍ତି । ବାଲିପାଟଣା ବ୍ଳକ ଅନ୍ତର୍ଗତ ମହୁଖଣ୍ଡା ଗ୍ରାମର ଏକ ଗରୀବ ପରିବାରରେ ସ୍ବୟଂପ୍ରଜ୍ଞାଙ୍କ ଜନ୍ମ । ପେସାରେ ବାପା ପ୍ରଦୀପ ସାହୁ ଜଣେ ଦିନ ମଜୁରୀଆ । ଆର୍ଥିକ ସଙ୍କଟ ଏବଂ ପାରିବାରିକ ସଂଘର୍ଷକୁ ପିଲାଟି ଦିନରୁ ଦେଖିଛନ୍ତି ସ୍ବୟଂପ୍ରଜ୍ଞା ହେଲେ କେବେ ହତୋତ୍ସାହିତ ହୋଇନାହାନ୍ତି । କିନ୍ତୁ ଦୃଢ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ସଙ୍କଟ ଏବଂ ପ୍ରତିକୂଳ ପରିସ୍ଥିତି। ଦୈନିକ ୮ରୁ ୧୦ ଘଣ୍ଟା ପାଠ ପଢାରେ ଦେଉଥିବା କହିଛନ୍ତି ସ୍ବୟଂପ୍ରଜ୍ଞା । ସେ +୨ରେ ସାଇକୃପା ବିଜ୍ଞାନ କୋଚିଂ ସେଣ୍ଟରରୁ କୋଚିଂ ନେଉଥିବା ବେଳେ ତାଙ୍କ ଆର୍ଥିକ ସମସ୍ୟା ବିଷୟରେ ଜାଣି କୋଚିଂ ସେଣ୍ଟର କତ୍ତୃପକ୍ଷ ତାଙ୍କ ଠାରୁ କୌଣସି ପାରିଶ୍ରମିକ ଗ୍ରହଣ କରୁନଥିଲେ । କେବଳ ଏତିକି ନୁହେଁ କୋଚିଂ ତରଫରୁ ସମୟରେ ସ୍ବୟଂପ୍ରଜ୍ଞାଙ୍କୁ ବିଭିନ୍ନ ପାଠ୍ୟପୁସ୍ତକ ଦିଆଯାଉଥିଲା। ଆଜି ତାଙ୍କ ସଫଳତାରେ କୋଚିଂ ସେଣ୍ଟରରେ ଏକ ଖୁସିର ମାହୋଲ ଦେଖିବାକୁ ମିଳିଛି।
ଏହି ସଫଳତାର ଶ୍ରେୟ ସେ ତାଙ୍କ ବାପାମା ଏବଂ ଉଭୟ କଲେଜ ଏବଂ କୋଚିଂ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ଦେଇଛନ୍ତି । ଜୀବନରେ ଏକ ଆଇଏଏସ ଅଫିସର ହୋଇ ଲୋକଙ୍କ ସେବା କରିବାର ଆଶା ରଖିଥିବା କହିଛନ୍ତି ସ୍ବୟଂପ୍ରଜ୍ଞା ।

Leave a Reply

Your email address will not be published. Required fields are marked *