ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଯଶୁଆପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ୨୦୨୩-୨୪ ଶିକ୍ଷାବର୍ଷର ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତ ବର୍ଷ ଏହି ବିଦ୍ୟାଳୟ 5T ଅନ୍ତର୍ଭୁକ୍ତ ହୋଇ ଉଚ୍ଚ ବିଦ୍ୟାଳୟରେ ରୂପାନ୍ତରଣ ହୋଇଥିଲା। ତେବେ ଏହି ଉଚ୍ଚ ବିଦ୍ୟାଳୟର ପ୍ରଥମ ବ୍ୟାଚ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଏକ ସଭାର ଆୟୋଜନ କରାଯାଇ ଅତିଥି ମାନଙ୍କ ଉପସ୍ଥିତି ରେ ମିଷ୍ଠାନ ବଣ୍ଟନ କରାଯିବା ସହ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ପ୍ରକୃତି ବନ୍ଧୁ ଦୀନବନ୍ଧୁ ଭୋଇଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସାଂସଦଙ୍କ ବାଲିଅନ୍ତା ବ୍ଲକ ପ୍ରତିନିଧି ଶିବ ମଲ୍ଲିକ ଯୋଗଦେଇ ପିଲାମାନଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ପ୍ରଦାନ କରି କିଭଳି ଜୀବନରେ ଜଣେ ଭଲ ମଣିଷ ହେବ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ସମ୍ମାନିତ ଅତିଥି ଭାବେ ଡୁଡନୁ ଫାଉଣ୍ଡେସନର ସଭାପତି ଏସ. ଗୌରବ ଯୋଗଦେଇ ନବମ ଏବଂ ଦଶମ ଶ୍ରେଣୀରେ ପାଠ ପଢୁଥିବା ପିଲାମାନଙ୍କୁ ପାଠ ପଢ଼ାରେ ଉତ୍ସାହିତ କରିବା ପାଇଁ ଫାଉଣ୍ଡେସନ ତରଫରୁ ପାଠ୍ୟ ଉପକରଣ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ରାଜଧାନୀ ପୁସ୍ତକ ମେଳାର ସମ୍ପାଦକ ବିଧୁଭୂଷଣ ପଟ୍ଟନାୟକ, ସମାଜସେବୀ ବିଜୟ କୁମାର ମହାରଣା, ସମାଜସେବୀ ଦୁର୍ଯ୍ୟୋଧନ ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବନିତା ସ୍ୱାଇଁ, ପ୍ରଧାନ ଶିକ୍ଷୟିତ୍ରୀ ସୀତା ଦେଇ ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ନିଜ ବକ୍ତବ୍ୟ ମାଧ୍ୟମରେ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲେ। ଉମାଦେଇବ୍ରହ୍ମପୁର ଗ୍ରାମପଞ୍ଚାୟତର ସମିତିସଭ୍ୟ ତଥା ଯୁବସମାଜସେବୀ ରଞ୍ଜନ କୁମାର ମହାପାତ୍ରଙ୍କ ପ୍ରଚେଷ୍ଟାରେ ଆଜିର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା।