ଶିଶୁ ଅନନ୍ତ ଦାସ ଭୁବନେଶ୍ବର ନିକଟବର୍ତୀ ବାଲିପାଟଣା ଗ୍ରାମରେ ୧୪୮୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ପଞ୍ଚସଖା ସାଧକମାନଙ୍କ ମଧ୍ୟରୁ ଅନ୍ୟତମ ଶିଶୁ ଅନନ୍ତ କୋଣାର୍କର ସୂର୍ଯ୍ୟଦେବଙ୍କ ଆଦେଶରେ ପୁରୀ ଆଗମନ କରି ଚୈତନ୍ୟ ତଥା ଜଗନ୍ନାଥ ଦାସଙ୍କ ସହ ମିଳିତ ହୋଇଥିଲେ । ସାଧକ ଅନନ୍ତ ଦାସଙ୍କ ଶିଶୁ ଉତ୍ପାଧି ଧାରଣ ପଛରେ ଏକ ଅଲୌକିକ କଥା ରହିଛି ।
ଏକଦା ନୀଳାଚଳ ନାଥ ଶ୍ରୀଜଗନ୍ନାଥ ଲକ୍ଷ୍ମୀଙ୍କ ସହିତ ଏକତ୍ର କ୍ରୀଡା କରୁଥିବା ସମୟରେ ଅନନ୍ତ ସେଠାରେ ପହଞ୍ଚିଲେ । ହଠାତ୍ ସେ ଶିଶୁପୁତ୍ର ଭାବରେ ଶ୍ରୀଜଗନ୍ନାଥଙ୍କ କୋଳ ମଣ୍ଡନ କରିବାକୁ ଇଛାକଲେ । ଭକ୍ତର ଭଗବାନ ଏକଥା ଜାଣିପାରି ମାୟା ରଚାଇ ଦ୍ବାରକା ଲୀଳାର ଅଭିନୟ କଲେ।
ଅନନ୍ତ ପ୍ରଭୁ ତଥା ଲକ୍ଷ୍ମୀଙ୍କ ଆଗରେ ୨ବର୍ଷର ଶିଶୁପୁତ୍ର ହୋଇଯାଇ କ୍ରନ୍ଦନ କରିବାକୁ ଲାଗିଲେ କ୍ରନ୍ଦନ କରି ଗଡି ଯିବାରୁ ଧୂଳି ଧୁସରିତ
ହୋଇଗଲେ । ମହାପ୍ରଭୁ ଶିଶୁ ପୁତ୍ରର ଏ ଦଶା ଦେଖୁ ତାଙ୍କୁ କୋଳକୁ ନେଇ ଧୂଳିଝାଡି ଆଲିଙ୍ଗନକଲେ । ଲକ୍ଷ୍ମୀ ତାଙ୍କୁ କାନ୍ଧରେ ଧରି ସ୍ନେହର ସ୍ତନ୍ୟପାନ କରାଇଲେ ।
ଶ୍ରୀଜଗନ୍ନାଥ ଭକ୍ତର ମନବାଞ୍ଛା ପୂରଣ ପାଇଁ କିଛି ସମୟ ମାୟା ରଚିବା ପରେ ମାୟ କାଟିଦେଲେ । ଅନନ୍ତ ନିଜ ରୂପରେ ଜଗନ୍ନାଥ ଓ ଲକ୍ଷ୍ମୀଙ୍କ ଶ୍ରୀଅଙ୍ଗ ବାଳକ ସ୍ବଭାବରେ ସ୍ପର୍ଶ କରିଥିବାରୁ ମାତା ଓ ପ୍ରଭୁଙ୍କୁ କ୍ଷମା ମାଗିଲେ । ମହାପ୍ରଭୁ ଆଶୀର୍ବାଦ କରି
କହିଲେ ଶିଶୁ ଭାବରେ ମୋତେ ପାଇଥିବାରୁ ତୁ ଆଜିଠାରୁ ଶିଶୁ ଅନନ୍ତ ହେଲୁ । ସେହିଦିନ ଠାରୁ ତାଙ୍କ ସଂପ୍ରଦାୟର ନାମ ମଧ୍ୟ ‘ଶିଶୁ ସଂପ୍ରଦାୟ’ ହେଲା ।
ତାଙ୍କ ଦୃଷ୍ଟିରେ ଶ୍ରୀକ୍ଷେତ୍ର ହିଁ ବୃନ୍ଦାବନ ଅଟେ । ଶିଶୁ ଅନନ୍ତଙ୍କ କଳ୍ପନାରେ ରାଧା ଓ କୃଷ୍ଣ ଜୀବ ଓ ପରମ ଏକକ ଭାବେ ଶ୍ରୀଜଗନ୍ନାଥ ଅଟନ୍ତି । ସିଂହାସନ ରତ୍ନ ବେଦୀ
ଚାରିପାଖ ଯମୁନା, ବଡଦେଉଳ, କଳ୍ପଦ୍ରୁମ, ଚିନ୍ତାମଣି ତରୁ, ବଳଭଦ୍ର ହେଉଛନ୍ତି ଚନ୍ଦ୍ରାବଳୀ, ନୀଳଚକ୍ର ହେଉଛନ୍ତି ଶେଷଦେବଙ୍କ ମଧ୍ଯଫଣୀ । ମନ୍ଦିରର ଅଷ୍ଟଦଳ
ପଦ୍ମ ଅଷ୍ଟସଖୀ ଯିଏ ମହାରାହାସ କରନ୍ତି । ମନ୍ଦିର ବଟ ପଶ୍ଚିମ ପାଖ ଶ୍ଵେତବୈକୁଣ୍ଠ, ଉତ୍ତରକୋଣ ଧେନୁ ମଣ୍ଡଳ, ଦକ୍ଷିଣ ପାର୍ଶ୍ୱ ବ୍ରହ୍ମଲୋକ । ରାମଚଣ୍ଡୀ ଲଳିତା, ମଙ୍ଗଳା ବୃନ୍ଦାବତୀ ଅଟନ୍ତି । ଚାର ଗଣେଶ ରଙ୍ଗଦେବୀ, ବଡଦାଣ୍ଡ ବୈକୁଣ୍ଡ, ଗୁଣ୍ଡିଚା ଘର-ମଥୁରାପୁରୀ, ସେଠାର ନୃସିଂହ-ବାସୁଦେବ। ବାଇଶି ପାହାଚ ସହସ୍ର ଫଣା ସହସ୍ର ଦଳ କମଳ ।
ଶିଶୁ ଅନନ୍ତ ଶ୍ରୀକ୍ଷେତ୍ରଠାରେ ଶ୍ରୀଜଗନ୍ନାଥଙ୍କୁ ସଂପୂର୍ଣ୍ଣ ଭାବେ ସମର୍ପିତ ରହି ଶିଶୁ ମଠ ସ୍ଥାପନ କରିଥିଲେ ହେଁ ଚୈତନ୍ୟଙ୍କ ମୃତ୍ୟୁ ପରେ ଜଗନ୍ନାଥ ଦାସ ଏକାନ୍ତ ବାସରେ ସାଧନା ପାଇଁ ସାତଲହଡି ମଠ ଚାଲିଯିବାରୁ, ସେ ମଧ୍ୟ ଖଣ୍ଡଗିରି ଯାଇ ସିଦ୍ଧ ତପୋବନ ଠାରେ ସାଧନାରତ ରହିଥିଲେ ।