ଶାନ୍ତି ଶୃଙ୍ଖଳାରେ ସୁଦର୍ଶନ ଦାରୁ ପୀଠରେ ନିର୍ମାଣଧିନ ଜଗନ୍ନାଥ ମନ୍ଦିରର ରତ୍ନ ମୁଦ କାର୍ଯ୍ୟ ଶେଷ
ବାଲିଅନ୍ତା: ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ୍ ଅଧୀନସ୍ଥ ଉମାଦେଇବ୍ରହ୍ମପୁର ଗ୍ରାମପଞ୍ଚାୟତର ଗଡକାନ୍ତୁଣିଆ ହୀରାପୁର ଠାରେ ଶ୍ରୀ ସୁଦର୍ଶନ ଦାରୁପୀଠରେ ନିର୍ମାଣଧିନ ଜଗନ୍ନାଥ ମନ୍ଦିରର ରତ୍ନମୁଦା କାର୍ଯ୍ୟ ଶେଷ ହୋଇଅଛି । ୨୦୧୫ ମସିହା ନବକଳେବର ସମୟରେ ପ୍ରଥମେ ଏହି ପୀଠରୁ ସୁଦର୍ଶନଦାରୁ ଚିହ୍ନଟ ହୋଇ ଶ୍ରୀକ୍ଷେତ୍ରକୁ ସୁଦର୍ଶନ ବିଗ୍ରହ ନିମନ୍ତେ ଯାଇଥିଲା। ସେହି ଦିନଠାରୁ ଅଞ୍ଚଳର କିଛି ବରଦାନ ବ୍ୟକ୍ତି ଓ ଅଞ୍ଚଳର ଜନସାଧାରଣଙ୍କ ସହଯୋଗ କ୍ରମେ ଜଗନ୍ନାଥ ମନ୍ଦିର କାର୍ଯ୍ୟ ଚାଲୁ ରହିଛି । ଶୁକ୍ରବାର ପ୍ରାତଃକାଳରୁ ନବ ନିର୍ମିତ ମନ୍ଦିରର ନାଟ୍ୟ ମଣ୍ଡପରେ ହୋମ ଯଜ୍ଞ ସହିତ ପଣ୍ତିତମାନଙ୍କ ମନ୍ତ୍ର ଧ୍ୱନିରେ ଆଖପାଖ ଅଞ୍ଚଳ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଠି ହୋଇଥିଲା । ଅପରାହ୍ନ ସମୟରେ ପ୍ରଥମେ କର୍ତ୍ତା ରାଧାନାଥ ଭୋଳ ଓ କୋଷାଧ୍ୟକ୍ଷ ଚକ୍ରଧର ନାୟକ ରତ୍ନ ଓ ଶସ୍ୟ ଏକ ପସରାରେ ନେଇ ମନ୍ଦିର ରତ୍ନମୁଦ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଏହି ପବିତ୍ର କାର୍ଯ୍ୟରେ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁମାନେ ଆସିବା ସହିତ ମନ୍ଦିର ରତ୍ନମୁଦ ର ମୁଣ୍ଡି ମାରିବା ପାଇଁ ଧାନ, ଚାଉଳ ସମେତ ଅଷ୍ଟଧାତୁ ମଧ୍ୟ ଦାନ କରିଥିଲେ। ସମସ୍ତ କାର୍ଯ୍ୟ ଟ୍ରଷ୍ଟି ଅଶୋକ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ସମ୍ପାଦନ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସଭାପତି ରଞ୍ଜିତ କୁମାର ସାହୁ, ପୂର୍ବତନମନ୍ତ୍ରୀ ଅରବିନ୍ଦ ଢ଼ାଲି, ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା, ସତିଶ କୁମାର ମିଶ୍ର, ସମିତିସଭ୍ୟ ରଞ୍ଜନ କୁମାର ମହାପାତ୍ର, ପ୍ରକୃତିବନ୍ଧୁ ଦୀନବନ୍ଧୁ ଭୋଇ, ଶିକ୍ଷାବିତ୍ ବିଧୂଭୁଷଣ ପଟ୍ଟନାୟକ, ଲକ୍ଷ୍ମଣ ଜେନା, ପ୍ରିୟବ୍ରତ ପାତ୍ର, ସହଦେବ ସ୍ବାଇଁ, ବ୍ରଜବନ୍ଧୁ ଠାକେରେ ଓ ବାମଦେବ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗ ଥିଲେ। ଏହି ପରିପ୍ରେକ୍ଷୀରେ ପୀଠରେ ନିର୍ମିତ ଶୌଚାଳୟକୁ ବାଲିଅନ୍ତା ବିଡ଼ିଓ ପବିତ୍ର କୁମାର ସାମଲ ଉଦ୍ଘାଟନ କରିଥିଲେ । ଅଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷାକରିବା ପାଇଁ ବ୍ୟବସ୍ଥା ସହ କମିଟି ପକ୍ଷରୁ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।