ଘଣ୍ଟ, ବାଦ୍ୟ, ଶଙ୍ଖ, ମହୁରୀ ଆଦି ବାଦ୍ୟ ଯନ୍ତ୍ର ଶବ୍ଦର ପ୍ରକମ୍ପନ ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସ୍ତରୀୟ ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମ ଅବସରରେ ‘ମାଟି କଳସ ଯାତ୍ରା’ର ଶୁଭାରମ୍ଭ କରିଛନ୍ତି। ଦେଶ ତଥା ରାଜ୍ୟର ସବୁ ପଞ୍ଚାୟତରୁ ସଂଗୃହିତ ପବିତ୍ର ମାଟିରେ ନୂଆଦିଲ୍ଲୀରେ ଏକ ଅମୃତ ବାଟିକା ପ୍ରତିଷ୍ଠା କରାଯିବ। ଆସନ୍ତା କାଲିଠାରୁ ନୂଆଦିଲ୍ଲୀ ଅଭିମୁଖେ ଏହି ମାଟି କଳସ ଯାତ୍ରା ଆରମ୍ଭ ହେବ।
୭୫ତମ ସ୍ୱାଧୀନତା ଦିବସ ପାଳନର ଅନ୍ତିମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅବସରରେ ଆଜି ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ‘ମେରି ମାଟି ମେରା ଦେଶ’ର ରାଜ୍ୟସ୍ତରୀୟ ସମାପନ ଦିବସ ପାଳନ କରାଯାଇଥିଲା।
ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜିର ଭାରତ ଆମର ପୂଜ୍ୟ ଶହୀଦ ଓ ସଂଗ୍ରାମୀମାନଙ୍କ ଅବଦାନ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଏପରି ଏକ ମହତର କାର୍ଯ୍ୟକ୍ରମର ପରିକଳ୍ପନା ପାଇଁ ଧନ୍ୟବାଦ ଦେବା ସହ ଏହି ସମସ୍ତ ପୁଣ୍ୟ ମାଟିର ସମାହାରରେ ନୂଆଦିଲ୍ଲୀରେ ନିର୍ମିତ ଅମୃତ ବାଟିକା ଆଗାମୀ ଦିନରେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ତୀର୍ଥ ସ୍ଥଳରେ ପରିଗଣିତ ହେବ ବୋଲି କହିଥିଲେ। #merimatimeridesh