ଦୀର୍ଘ ଅଢ଼େଇ ଦଶନ୍ଧି ଧରି ଓଡ଼ିଶାରେ କ୍ଷମତାସୀନ ବିଜେଡିକୁ ଶକ୍ତ ଝଟକା ଦେଇ ବିଜେପି ରାଜ୍ୟରେ ପ୍ରଥମଥର ପାଇଁ ନିଜ ଦମରେ ସରକାର ଗଢ଼ିବାକୁ ଯାଉଛି । ସାଧାରଣ ନିର୍ବାଚନ ଫଳାଫଳ ବିଜେଡି ପାଇଁ ଅପ୍ରତ୍ୟାଶିତ ରହିଛି । ତେବେ ବିଜେଡି ସରକାରର ମାଳମାଳ ସ୍କିମ୍ , ବହୁଳ ପରିମାଣର ବିଜ୍ଞାପନ ଓ ପ୍ରଚାରପ୍ରସାର ବ୍ୟୟ, ପାଖାପାଖି ୧୫୦୦କୋଟି ଟଙ୍କାର ନିର୍ବାଚନୀ ଖର୍ଚ୍ଚ ସହ ବିଭିନ୍ନ ସଂସ୍ଥା ଦ୍ୱାରା ପ୍ରାୟ ୭ଥର ସର୍ଭେ କରାଇ ଦଳକୁ ସଂଖ୍ୟାଗରିଷ୍ଠତା ମିଳୁଥିବା ନେଇ ଦମ୍ଭୋକ୍ତି ବାଢ଼ୁଥିବା ବିଜେଡି ବଡ଼ପଣ୍ଡାଙ୍କ ସବୁ ଅଙ୍କ ଫେଲ୍ ମାରିଛି ।
ଉଭୟ ବିଜେଡି ଓ ସରକାରରେ ଭିକେ ପାଣ୍ଡିଆନଙ୍କ ଏକଛତ୍ରବାଦୀ ନୀତି ଏବଂ ‘ପାଣ୍ଡିଆନଙ୍କ ନିଜସ୍ୱ ଅଫିସର ଟିମ୍’କୁ ହଜମ କରିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏବେ ମହଙ୍ଗା ପଡ଼ିଛି । ପାଣ୍ଡିଆନଙ୍କୁ ହଜମ କରବାର ସାଇଡ୍ ଇଫେକ୍ଟ ଯୋଗୁ ନବୀନଙ୍କୁ ଏବେ ଗାଦିଚ୍ୟୁତ ହେବାକୁ ପଡ଼ିଛି । ଆଉ ଦେଶର ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ରହିବାର ରେକର୍ଡର ଅଧିକାରୀ ହେବାକୁ ଚାହିଁଥିବା ନବୀନ ଏବେ ନିଜେ ଇତିହାସ ପାଲଟି ଯାଇଛନ୍ତି ।
ତେବେ ବିଜେଡିର ଏଭଳି ବିପର୍ଯ୍ୟୟର କ’ଣ ରହିଛ ୯ ପ୍ରମୁଖ କାରଣ ଆସନ୍ତୁ ଜାଣିବା…
୧- ୨୦୧୪ ଓ ୨୦୧୯ରେ ସମଗ୍ର ଦେଶରେ ନରେନ୍ଦ୍ର ମୋଦି ଲହରକୁ ମୁକାବିଲା କରି ରାଜ୍ୟରେ ସ୍ପଷ୍ଟ ଜନାଦେଶ ହାତେଇଥିବା ବିଜେଡି ନିଜର ମୃତ୍ୟୁ ପାଇଁ ଗାତ ୨୦୧୯ ମସିହା ନିର୍ବାଚନ ପରଠୁ ନିଜେ ଖୋଳିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ଦଳ ଓ ସରକାରରୁ ଦୂରେଇ ରହିଲେ ଆଉ ଭିକେ ପାଣ୍ଡିଆନ ତାଙ୍କର ପ୍ରତିନିଧି ଭାବେ ଉଭୟ ବିଜେଡି ଓ ସରକାରରେ ସର୍ବେସର୍ବା ପାଲଟିଗଲେ । ପରିସ୍ଥିତି ଏଭଳି ହେଲା ଯେ, ନବୀନଙ୍କୁ ତାଙ୍କ ସରକାରର ମନ୍ତ୍ରୀ, ବିଧାୟକ, ମୁଖ୍ୟ ସଚିବ ଓ ପୁଲିସ ଡିଜି ମଧ୍ୟ ଭେଟିବା ସମ୍ଭବପର ହେଲାନି । ପାଣ୍ଡିଆନଙ୍କ ବିନା ନବୀନଙ୍କ ବାସଭବନ ଓ ସରକାରୀ କଳରେ ପତ୍ରଟିଏ ହଲିପାରିଲା ନାହିଁ । ଯାହାକୁ ନେଇ ଉଭୟ ଦଳ ଓ ସରକାରୀ ଅଫିସରଙ୍କ ମଧ୍ୟରେ ଆକ୍ରୋଶ ବଢ଼ିବାରେ ଲାଗିଲା । ଏପରିକି ନିଜ ପ୍ରିୟ ନେତା(ବିଧାୟକ, ସାଂସଦ ଓ ମନ୍ତ୍ରୀମାନଙ୍କୁ) ପାଣ୍ଡିଆନଙ୍କ ଆଗରେ ଏଭଳି ବିବଶ ହେଉଥିବା ଦେଖି ଭୋଟର ମଧ୍ୟ ପ୍ରତିକ୍ରିୟାଶୀଳ ହେଲେ । ମାତ୍ର ସଠିକ୍ ସମୟକୁ ଅପେକ୍ଷା କରି ରହିଥିଲେ । ଆଉ ବିଜେପି ଚଳିତ ନିର୍ବାଚନରେ ‘ଓଡ଼ିଆ ଅସ୍ମିତା’କୁ ମୁଖ୍ୟ ପ୍ରସଙ୍ଗ କରି ସାଧାରଣ ଲୋକଙ୍କ ମନରେ ଥିବା ଏହି ପ୍ରତିକ୍ରିୟାକୁ ନିଜ ଭୋଟରେ ପରିବର୍ତ୍ତନ କରାଇବାରେ ସକ୍ଷମ ହେଲା । ବିଜେପିର ଘନଘନ ଆକ୍ରମଣାତ୍ମକ ପ୍ରଚାର ଶୈଳୀ, ଆରମ୍ଭରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶାରେ ସରକାର ଗଠନର ଦମ୍ଭୋକ୍ତି ସହ ପ୍ରଚ୍ଛଦପଟ୍ଟରେ ବିଜେପି ନେତୃତ୍ୱଙ୍କ ରଣନୀତି ମଧ୍ୟ ବିଜେଡିଠୁ ଭୋଟରଙ୍କୁ ମୁହଁ ଫେରାଇବା ଦିଗରେ ସହାୟକ ହୋଇଛି ।
୨- ବିଜେଡି ପ୍ରାର୍ଥୀ ଚୟନବେଳେ ସମ୍ପୂର୍ଣ୍ଣ ମନମୁଖୀ ନିଷ୍ପତ୍ତି ନେଇଥିଲା । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ସ୍ୱତନ୍ତ୍ର ସଚିବ ଡିଏସ କୁଟ୍ଟେଙ୍କ ଉପରେ ଭରସା କରି ପାଣ୍ଡିଆନ ବିଭିନ୍ନ ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀ ଚୂଡ଼ାନ୍ତ କରିଥିଲେ । ଶ୍ରୀ କୁଟ୍ଟେ ଯେଉଁ ସର୍ଭେ ରିପୋର୍ଟ ପ୍ରସ୍ତୁତ କରି ପାଣ୍ଡିଆନଙ୍କୁ ଦେଉଥିଲେ ତା’ର ସତ୍ୟତା ଯାଂଚ ପାଇଁ ବିଜେଡି ପକ୍ଷରୁ ପ୍ରୟାସ ହୋଇନଥିଲା । ଫଳରେ କୁଟ୍ଟେ ନିଜକୁ ସୁହାଇବା ପାଇଁ ଦଳର କିଛି ନେତାଙ୍କୁ ଡଷ୍ଟବିନକୁ ପକାଇଥିଲେ ତ କିଛି ନେତାଙ୍କୁ କୋଳେଇ ନେଇଥିଲେ । ନିଜର ଖାସ୍ ଅନୁଗତ ମାନସ ମଙ୍ଗରାଜଙ୍କ ମାଧ୍ୟମରେ କୁଟ୍ଟେ ବିଜେଡିରେ ନିଜର ଏକ ସମାନ୍ତରାଳ ସାମ୍ରାଜ୍ୟ ଗଢ଼ି ଚାଲିଥିଲେ । କର୍ପୋରେଟ ଚାନ୍ଦା ଆଦାୟଠୁ ଆରମ୍ଭ କରି ପୁଲିସକୁ ବେଆଇନ ଭାବେ ବିରୋଧୀଙ୍କ ପଛରେ ଲଗାଇବା କାର୍ଯ୍ୟ ଶ୍ରୀ କୁଟ୍ଟେଙ୍କ ଦ୍ୱାରା ହେଉଥିଲା । ଯାହା ସାଧାରଣରେ ପ୍ରତିଫଳିତ ହେଉଥିଲା, ମାତ୍ର କାର୍ଯ୍ୟାନୁଷ୍ଠାନ ଆଶଙ୍କାରେ ଓ ଆକ୍ରୋଶର ସମ୍ମୁଖୀନ ହେବା ଭୟରେ ସମସ୍ତେ ନିରବ ରହୁଥିଲେ । କୁଟ୍ଟେ ମଧ୍ୟ ଏହି ସୁଯୋଗରେ କିଛି ସ୍ଥାନରେ ବିଜେଡି ଟିକେଟ୍ ଦେଣନେଣରେ ହାତଚିକ୍କଣ କରିବାର ସୁଯୋଗ ପାଇଥିଲେ ।
୩- ବିଜେଡିରେ ପୁରୁଖା ନେତାମାନଙ୍କୁ ସମ୍ପୂର୍ଣ୍ଣ କୋଣଠେସା କରି ଦଳରେ ଯେଉଁ କିଛି ହାତଗଣତି ନେତାଙ୍କୁ ସମସ୍ତ ସାଂଗଠନ କାର୍ଯ୍ୟରେ ଗୁରୁତ୍ୱ ମିଳୁଥିଲା ସେମାନେ କେହି ସାଧାରଣ ଲୋକଙ୍କ ପାଖରେ ଗ୍ରହଣୀୟ ହୋଇନାହାନ୍ତି । ମାନସ ମଙ୍ଗରାଜଙ୍କଠୁ ଆରମ୍ଭ କରି ସସ୍ମିତ ପାତ୍ର, ସୁଲତା ଦେଓ, ଲେନିନ୍ ମହାନ୍ତି, ପ୍ରିୟବ୍ରତ ମାଝୀଙ୍କ ଭଳି କିଛି ଲୋକଙ୍କ ଶଙ୍ଖ ଭବନ(ବିଜେଡି ଅଫିସ)ର ଦାୟିତ୍ୱ ଦେଇ ପାଣ୍ଡିଆନ ଓ କୁଟ୍ଟେ ଯୋଡ଼ି ଖୋଲାଖୋଲି ଭାବେ ନିଜର ହାକିମାତି ଦେଖାଇଲେ । ଯାହାକୁ ସମଗ୍ର ରାଜ୍ୟ ଅନୁଭବ ବି କଲା । କିନ୍ତୁ ଆକ୍ରୋଶର ଶିକାର ହେବା ଭୟରେ ବିଜେଡି ନେତାମାନେ ନିରବ ରହି ଏହାକୁ ସହ୍ୟ କଲେ । ବିରୋଧ କି ଆପତ୍ତି କଲେ ବି ତାହା କେଉଁଠି କରିବେ ଓ କିଏ ଶୁଣିବ ସେଥିପାଇଁ ଫୋରମ୍ ମଧ୍ୟ ପାଇଲେ ନାହିଁ । ନିଜ ଭାଗ୍ୟକୁ ଆଦରି ଗୋଟିଏ ପରିବର୍ତ୍ତନକୁ ଅପେକ୍ଷାରେ ରହିଲେ । ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ମଧ୍ୟ ନିଜର ଗୋଟିଏ ଗୋଷ୍ଠୀ ଧରି ରହିଲେ । ଆଉ ସେମାନଙ୍କୁ କିଭଳି ଅଧିକ ସୁବିଧାସୁଯୋଗ ମିଳିବ ସେହି ବ୍ୟବସାୟିକ ଚକ୍କରରେ କାର୍ଯ୍ୟ କଲେ । ଦଳରେ ସାଧାରଣ କର୍ମୀ ଓ ସମର୍ପିତ ନେତାମାନେ ନିଜକୁ ଅସହାୟ ମନେ କଲେ ।
୪- ବିଜେଡିର କୌଣସି ନେତା-ମନ୍ତ୍ରୀଙ୍କୁ ବିଗତ ୫ବର୍ଷ ମଧ୍ୟରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଏକୁଟିଆ ଭେଟିବାର ସୁଯୋଗ ଦିଆଗଲାନି । ନବୀନ ମଧ୍ୟ କ୍ଷମତାରେ ଅନ୍ଧ ହୋଇ ନିଜର ରାଜକୀୟ କାର୍ଯ୍ୟ ଭୁଲିଗଲେ । ଦୈନିକ ସଚିବାଳୟ ଆସୁଥିବା ନବୀନ ବିଗତ ୫ବର୍ଷ ମଧ୍ୟରେ ମାତ୍ର ୨୦ରୁ ୩୦ଥର ସଚିବାଳୟ ଯାଇଥିବେ । ନବୀନଙ୍କ ଅପାରଗତାର ସୁଯୋଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର(ପିଅନଠୁ ଆରମ୍ଭ କରି ଅଫିସର ପର୍ଯ୍ୟନ୍ତ) କର୍ମଚାରୀମାନେ ସମସ୍ତେ ନିଜକୁ ସୁପର ସିଏମ୍ ଭାବେ ଉପସ୍ଥାପିତ କଲେ । ଆଉ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର କିଛି କର୍ମଚାରୀ ମଧ୍ୟ ବିଜେଡିର ମନ୍ତ୍ରୀ ଓ ବିଧାୟକମାନଙ୍କୁ ଦୁର୍ବବ୍ୟହାର କରିବାକୁ ପଛାଇଲେ ନାହିଁ । ବିଜେଡି ନେତା-ମନ୍ତ୍ରୀମାନେ ନିଜ ଅଂଚଳରେ ସାଧାରଣ ଲୋକଙ୍କୁ ଭେଟିବାବେଳେ ନିଜର ଅସହାୟତାକୁ ପରିପ୍ରକାଶ କଲେ ଏବଂ ପରୋକ୍ଷରେ ସେମାନଙ୍କର ଆପତ୍ତ-ଅଭିଯୋଗର ସମାଧାନ ଦାୟିତ୍ୱ ତୁଲାଇ ପାରିବେ ନାହିଁ ଓ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ-ଫାଇଭ-ଟିକୁ ଚିଠି ଲେଖି ଜଣାଅ ବୋଲି କହିବାକୁ ବାଧ୍ୟ ହେଲେ । ଯାହା ଲୋକଙ୍କ ମନରେ ନିଜର ନେତାମାନଙ୍କ ପ୍ରତି ଏକ ନକରାତ୍ମକ ଛବି ତିଆରି କରିବାରେ ସକ୍ଷମ ହେଲା ।
୫- ନିର୍ବାଚନର ଯଥେଷ୍ଟ ପୂର୍ବରୁ ବିଜେଡି ନିଜର ୬୦ରୁ ଅଧିକ ବିଧାୟକମାନଙ୍କୁ ଡାକି ନିଜ ନିଜ ସ୍ଥାନରେ ଲଢ଼ିବା ପାଇଁ ସବୁଜସଙ୍କେତ ଦେଲା । ନବୀନଙ୍କ ନାଁରେ ଉଭୟ ଦଳ ଓ ସରକାରରେ ଅଘୋଷିତ ମୁଖ୍ୟ ପାଲଟିଥିବା ପାଣ୍ଡିଆନ ନିଜର ଟିମ୍ ଦେଇଥିବା ତାଲିକା ଆଧାରରେ ବିଜେଡି ବିଧାୟକ ଓ ମନ୍ତ୍ରୀମାନଙ୍କୁ ପୁଣିଥରେ ଲଢ଼ିବାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ । ତେବେ ଏହି ବିଧାୟକମାନେ ନିଜ ନିଜ ଅଂଚଳରେ କେତେ ଗ୍ରହଣୀୟ ତା’ର ନିରପେକ୍ଷ ଯାଂଚ କରାଗଲାନି । କେବଳ କୁଟ୍ଟେ ଯେଉଁ ସର୍ଭେ ରିପୋର୍ଟ ଦେଲେ ତାକୁ ଭରସା କରି ବିଜେଡି ନେତାମାନଙ୍କ ଗ୍ରହଣୀୟତା ଆକଳନ କରାଗଲା । କୁଟ୍ଟେ ନିଜର ଖାସ୍ ଅନୁଗତ ମାନସ ମଙ୍ଗରାଜଙ୍କ ମାଧ୍ୟମରେ ବିଜେଡି ପାଇଁ ବ୍ୟବସାୟିକ ସାମ୍ରାଜ୍ୟ ଗଢ଼ିବାରେ ଲାଗିଥିଲେ । ଆଉ ଯେଉଁଠି ତାଙ୍କର ବ୍ୟବସାୟିକ ସମ୍ପର୍କ ଥିଲା ସେହି ଅଂଚଳର ବିଜେଡି ଟିକେଟ୍ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମିଳିବା ନିଶ୍ଚିତ ହୋଇଯାଇଥିଲା । ବିଜେଡି ସମର୍ଥିତ ଗୋଟିଏ ଟିଭି ଚ୍ୟାନେଲ ଓ ଗୋଟିଏ ଖବର କାଗଜ ପ୍ରସାରଣ ପାଇଁ କେଉଁଠି ଟଙ୍କା ଆସୁଥିଲା ତାହା କେବଳ ମାନସ ଓ କୁଟ୍ଟେଙ୍କୁ ଜଣାଥିଲା । ବିଜେଡିର କୌଣସି ନେତା ଏହାର ଟେର ପାଉନଥିଲେ ।
୬- ସରକାର ବିଶେଷକରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଛତ୍ରଛାୟାରେ ରହିଥିବା ଅଫିସର ଓ କିଛି ନେତାଙ୍କ ବିରୁଦ୍ଧରେ ବହୁ ଦୁର୍ନୀତି ଅଭିଯୋଗ ଆସୁଥିଲେ ମଧ୍ୟ ନବୀନ ଚୁପ୍ ରହିଲେ । ରାଜ୍ୟ ଓ ଦଳରେ କ’ଣ ଚାଲିଛି ସେ ଖବର ନବୀନ ରଖିବାରେ ଆଗ୍ରହ ଦେଖାଇଲେ ନାହିଁ । ପୋଷା ଶୁଆ ଭଳି ପାଣ୍ଡିଆନ ଯେଭଳି ନଚେଇଲେ ଓ କହିଲେ ତାହା କହି ନିଜ ଦାୟିତ୍ୱ ଶେଷ କଲେ । ପାଣ୍ଡିଆନଙ୍କୁ ଖୁସି କରିବାକୁ କୁଟ୍ଟେଙ୍କ ଟିମ୍ ଅଧିକ ହିଂସାତ୍ମକ ଆଭିମୁଖ୍ୟ ପୋଷଣ କରି ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦେବ ଏବଂ କିଛି ଗଣମାଧ୍ୟମ ସଂସ୍ଥା ବିରୁଦ୍ଧରେ ଅଯଥା କାର୍ଯ୍ୟାନୁଷ୍ଠାନ କଲେ । ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ କୁଟ୍ଟେ ନିଜର ୩/୪ଜଣ ତୋଷାମଦକାରୀ ବିଜେଡି ନେତା(ପୂର୍ବରୁ ଅନ୍ୟଦଳରେ ଥିଲେ)ମାନଙ୍କ ମାଧ୍ୟମରେ ସାମ୍ବାଦିକ ସମ୍ମିଳନୀ କରି ଓଲଟା ଅବାନ୍ତର ଯୁକ୍ତି ବାଢ଼ିଲେ । ଯାହାକୁ ସାଧାରଣ ଲୋକେ ସହଜରେ ଗ୍ରହଣ କରିନଥିଲେ ।
୭- ପାଣ୍ଡିଆନ ନିଜକୁ ମୁଖ୍ୟମନ୍ତ୍ରୀ ଭାବେ ଚିତ୍ରଣ କରି ରାଜ୍ୟର ବିଭିନ୍ନ ଅଂଚଳ ବୁଲିଲେ । ଜଣେ ପ୍ରଶାସନିକ ଅଫିସର ଭାବେ ଏଭଳି ବୁଲିବାକୁ ନେଇ ବିଜେପି ଆପତ୍ତି କଲେ ମଧ୍ୟ ତା’ର ପ୍ରଭାବ ତାଙ୍କ ଉପରେ ପଡ଼ିଲା ନାହିଁ । ଫାଇଭ-ଟି କାର୍ଯ୍ୟକ୍ରମ ନାଁରେ ବୁଲିଲେ ଓ ସରକାରୀ କଳକୁ ଉପଯୋଗ କରି ଲୋକଙ୍କୁ ଆଣି ନିଜେ ବାହାବା ନେଲେ । ବିଜେପିର ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ ସେ ଚାକିରି ଛାଡ଼ି ବିଜେଡିରେ ଯୋଗ ଦେଲେ । ଆଉ ଦଳର ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି ସତ୍ତ୍ୱେ ନିଜେ ୧୪୭ ବିଧାନସଭା କ୍ଷେତ୍ର ବୁଲି ଏକାକୀ ପ୍ରଚାର କଲେ । ନବୀନଙ୍କୁ ମାତ୍ର ୧୪ଦିନ ପ୍ରଚାରକୁ ଓହ୍ଲାଇଲେ । ପାଣ୍ଡିଆନଙ୍କ ଏଭଳି ମାତ୍ରାଧିକ ଆତ୍ମପ୍ରଚାରକୁ ସ୍ୱାଭିମାନୀ ଓଡ଼ିଆ ସହଜରେ ନେଲେନି । ଏହାର ଜବାବ ବିଜେଡିକୁ ଭୋଟ୍
ଆକାରରେ ଦେଲେ । କେବଳ ସେତିକି ନୁହେଁ ପାଣ୍ଡିଆନ ପ୍ରଚାର କରିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ନେତାମାନଙ୍କୁ ଯେଉଁ ଟାର୍ଗେଟ୍ କଲେ ତାହା ତାଙ୍କ ମଧ୍ୟରେ ଅହଙ୍କାରକୁ ଦର୍ଶାଇଲା । ଲୋକେ ପାଣ୍ଡିଆନ ଉପରେ ରାଗ ଶୁଝାଇବା ପାଇଁ ବିଜେପିକୁ ଭୋଟ୍ ଦେଲେ ଓ ତାଙ୍କୁ ତାଙ୍କର ପ୍ରକୃତ ସ୍ଥିତି ଜଣାଇଦେଲେ ।
୮- ବିଜେଡି ନିର୍ବାଚନର ବହୁ ପୂର୍ବରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟକ୍କର ଦେବାକୁ ନିଜର ଜଣେ ଆଗଧାଡ଼ିର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଆଗକୁ ଆଣିଲା । ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ସମସ୍ତ ଦଳୀୟ ବିଧାୟକ ଓ ନେତାମାନଙ୍କୁ ବସାଇ ଶ୍ରୀମୟୀଙ୍କୁ ପ୍ରାର୍ଥୀ ଘୋଷଣା କରାଗଲା । ମିଶନଶକ୍ତି ଚେହେରା ତଥା ମହିଳା ଚେହେରା ଭାବେ ଶ୍ରୀମୟୀଙ୍କୁ ମଧ୍ୟ ଦଳ ୬ମାସ ବୁଲାଇଲା । ସବୁ ପ୍ରକାରର ସହଯୋଗ ଦେଲା । ନବୀନଙ୍କ ନିଷ୍ପତ୍ତି ସତ୍ତ୍ୱେ ସର୍ଭେ ରିପୋର୍ଟ ଆଳ ଦେଖାଇ କୁଟ୍ଟେ ନିଜର ବ୍ୟବସାୟିକ ସ୍ୱାର୍ଥ ପାଇଁ ଶ୍ରୀମୟୀଙ୍କୁ ବଳି ପକାଇ ଦେଲେ ବୋଲି ଚର୍ଚ୍ଚା ହେଲା । ବିଧାୟକ ସୁର ରାଉତରାୟଙ୍କ ମୁହଁ ଚୁପ୍ କରିବାକୁ ତାଙ୍କ ପୁଅ ମନ୍ମଥଙ୍କୁ ବିଜେଡି ଟିକେଟ୍ ଧରାଇଲା । ଆଉ ଖୋର୍ଦ୍ଧା ଜିଲ୍ଲାରେ କିଛି ମୂଲ୍ୟବାନ ଜମିକୁ ହାତେଇବା ପାଇଁ ମଧ୍ୟ ବିଜେଡି ଗୋଟିଏ ବିଧାୟକ ଟିକେଟ୍ ମଧ୍ୟ ଜଣେ ନେତାଙ୍କୁ ଦେବାକୁ ଏହି ଟିମ୍ ପଛାଇ ନଥିବା ଚର୍ଚ୍ଚା ହେଉଛି । କେବଳ ଖୋର୍ଦ୍ଧାରେ ନୁହେଁ ପଶ୍ଚିମ ଓଡ଼ିଶା ସମେତ ଅନ୍ୟ କିଛି ସ୍ଥାନରେ ବିଜେଡିର ଏହି ଟିମ୍ ଖୋଲାଖୋଲି ଭାବେ ଦଳୀୟ ଟିକେଟ୍ ବିକ୍ରି କରିଥିବାର ଅଭିଯୋଗ ହେଲା । ଦଳ ନିଜଆଡ଼ୁ ଶ୍ରୀମୟୀଙ୍କୁ ବୁଲାଇଥିଲା ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ସତ୍ୱେ କୁଟ୍ଟେ ଚକ୍ରାନ୍ତ କରି ଶ୍ରୀମୟୀଙ୍କ ଟିକେଟ୍ କାଟି ସୁରଙ୍କ ପୁଅକୁ ଦେବାକୁ ମଧ୍ୟ ବିଜେଡି ସହ ଜଡ଼ିତ ରାଜ୍ୟର ମିଶନଶକ୍ତି ମହିଳାମାନେ ସହଜରେ ନେଲେନି ଓ ପ୍ରତିକ୍ରିୟାଶୀଳ ହେଲେ । ଆଉ ତା’ର ପରିଣାମ ମଧ୍ୟ ବିଜେଡିକୁ ଏବେ ଭୋଗିବାକୁ ପଡ଼ିଛି ।
୯- ନବୀନଙ୍କ ତୁଳନାରେ ପାଣ୍ଡିଆନଙ୍କ ପ୍ରଭାବ ବୃଦ୍ଧି, ସରକାରରେ ସମସ୍ତଙ୍କ ଭୂମିକା ଗୌଣ, ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ପରିକ୍ରମା ପ୍ରକଳ୍ପ ନାଁରେ କୋଟିକୋଟି ଟଙ୍କା ଲୁଟ୍, ମହାପ୍ରଭୁଙ୍କ ନାଁରେ ଚାଉଳ ସଂଗ୍ରହ କରି ତାକୁ ନଷ୍ଟ କରିବା, ବାହାର ରାଜ୍ୟର ଠିକାଦାରମାନଙ୍କ ପ୍ରଭାବ ବିସ୍ତାର ଓ ଓଡ଼ିଆମାନଙ୍କୁ ଅଣଦେଖାକୁ ନେଇ ରାଜ୍ୟବ୍ୟାପୀ ଚାପା ଅସନ୍ତୋଷ ରହିଥିଲା । ଯାହାକୁ ବିଜେଡି ନେତାମାନେ ଅନୁଭବ କରୁଥିଲେ ମଧ୍ୟ ପାଣ୍ଡିଆନ ଓ ତାଙ୍କ ଟିମ ଭୟରେ ମୁହଁ ଖୋଲୁନଥିଲେ । ପାଣ୍ଡିଆନ ନିଜର ଟିମରେ ମୁଖ୍ୟ ଭାବେ କୁଟ୍ଟେଙ୍କୁ ରଖିଥିଲେ । ସଂଗଠନ ସମ୍ପାଦକ ପ୍ରଣବପ୍ରକାଶଙ୍କୁ ସାଇଡ୍ କରି ମାନସ ମଙ୍ଗରାଜଙ୍କୁ ଆଗକୁ ଆଣି ନିଜର ବ୍ୟବସାୟିକ ସାମ୍ରାଜ୍ୟ ବୃଦ୍ଧି ପାଇଁ କୁଟ୍ଟେ ଦୀର୍ଘଦିନ ଧରି ପ୍ରୟାସ କରି ଆସୁଥିଲେ । ଚଳିତ ନିର୍ବାଚନରେ ସର୍ଭେ ରିପୋର୍ଟ ଆଳ ଦେଖାଇ ପ୍ରଣବପ୍ରକାଶଙ୍କ ରାଜନୀତିକ କ୍ୟାରିୟର ସଫା କରିବା ନିମନ୍ତେ ତାଙ୍କୁ ସମ୍ବଲପୁରରେ ସାଂସଦ ପ୍ରାର୍ଥୀ କରିଥିଲେ ବୋଲି ଚର୍ଚ୍ଚା । ଆଉ ପାଣ୍ଡିଆନ-କୁଟ୍ଟେଙ୍କ ମାମଲାତିରେ ବିଜେଡି ତଳିତଳାନ୍ତ ହେବାରେ ଲାଗିଲା ଓ ସାଧାରଣ ଲୋକଙ୍କଠୁ ଦୂରେଇ ଯାଇଥିଲା । କିନ୍ତୁ ନିଜ ଆତ୍ମପ୍ରଚାର ଓ ଚାରିପଟେ ରହିଥିବା ତୋଷାମଦକାରୀଙ୍କ ପ୍ରଂଶସାରେ ପାଣ୍ଡିଆନ ଧରାକୁ ସରା ମଣି କାର୍ଯ୍ୟ କରିବାରୁ ବିଜେଡିକୁ ଏଭଳି ହୀନସ୍ତା ହେବାକୁ ପଡ଼ିଛି । ଆଉ ଦଳର କ୍ଷମତାରୁ ଦୂରେଇବାକୁ ବାଧ୍ୟ ହୋଇଥିବା ଚର୍ଚ୍ଚା ।