ଧୂଳି ଧୂଆଁରେ ଅଣନିଶ୍ୱାସୀ ପାଲଟିଛି ଟଙ୍କପାଣି ସାଇମନ୍ଦିର ରାସ୍ତା
ସରକାର ବଦଳୁଛି ହେଲେ ସ୍ଥାୟୀ ସମାଧାନ ହୋଇପାରୁନାହିଁ
ଭୁବନେଶ୍ବର:୧୪|୧୨:ରାଜଧାନୀ ଓ ଏହାର ଉପକଣ୍ଠ
ସୌନ୍ଦର୍ଯ୍ୟକରଣ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବିଶେଷ କରି ସାଧାରଣ ଜନତାଙ୍କ ଗମନାଗମନ ରାସ୍ତାଘାଟ ଉନ୍ନତିକରଣ ଲାଗି ଯୋଜନା କରାଯାଉଛି। ହେଲେ ରାଜଧାନୀ ଭୁବନେଶ୍ୱର ଛାତି ଭିତରେ ଥିବା ଟଙ୍କପାଣି ସାଇମନ୍ଦୀର ସମ୍ମୁଖ ରାସ୍ତା ସୁଧୁରବାର ନାଁ ଧରୁନି। ଗତ ବର୍ଷା ସମୟରେ ଜଳ ନିଷ୍କାସନ ନ ହେବାରୁ ଏହି ରାସ୍ତାରେ ଆଣ୍ଠୁଏ ପାଣି ଲହଡି ମାରୁଥିଲା। ଫଳରେ ଲୋକଙ୍କ ଗାଡ଼ିମଟର ଯିବାଆସିବା କରିବା ଏକ ପ୍ରକାର ଠପ ହୋଇଯାଇଥିଲା। କାହାର ଗାଡି ଇଞ୍ଜିନରେ ପାଣି ପଶିଯାଇ ଷ୍ଟାର୍ଟ ହେଉନଥିଲା ତ କିଏ ଆଣ୍ଠୁଏ ପାଣିରେ ରାସ୍ତା ନ ଜାଣିପାରି ଦୁର୍ଘଟଣାର ଶିକାର ହୋଇଛି। ଲୋକଙ୍କ ଏହି ସମସ୍ୟା ଦେଖି ପୂର୍ତ୍ତ ବିଭାଗ ଏଥିରେ ମେଣ୍ଟାଲ ପକାଇ ରାସ୍ତା ଉଚ୍ଚା କରିବା ସହ କ୍ରସର ଡଷ୍ଟ ପକାଇଥିଲା। ଫଳରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ମାତ୍ର ବିଭାଗ ଏହାର କୌଣସି ସ୍ଥାୟୀ ସମାଧାନ ନ କରି ରାସ୍ତା ସେମିତି ଛାଡିଦେଇଛି। ଅପରପକ୍ଷରେ ପୂର୍ତ୍ତବିଭାଗ ଡିଭିଜନ -୧ ଅଧୀନରେ ଥିବା ଏହି ରାସ୍ତା ୪ ଥାକିଆ ହେବ। ଏଥିସହ ଜଳ ନିଷ୍କାସନ ନିମନ୍ତେ ରାସ୍ତାର ଉଭୟ ପାର୍ଶ୍ଵରେ ନଳା ନିର୍ମାଣ କରାଯିବ। ଭୁବନେଶ୍ୱର-ପୁରୀ ବାଇପାସ ରାସ୍ତା ସାଇମନ୍ଦିର ଠାରୁ ଟଙ୍କପାଣି ସେତୁ ପର୍ଯ୍ୟନ୍ତ ଏହି ରାସ୍ତା କାମ ହେବ। ଏଥିପାଇଁ ବିଭାଗ ପ୍ରାୟ ୧୫ କୋଟି ଖର୍ଚ୍ଚ କରିବ। ଏହାରି ଭିତରେ ରାସ୍ତାର ଉଭୟ ପାର୍ଶ୍ୱରୁ ଜବରଦଖଲ ଉଛେଦ କରାଯାଇଛି। ମାତ୍ର ବିଭାଗ କେବଳ ଜବରଦଖଲ ଉଛେଦ କରି ବସିପଡିଛି। ଅନ୍ୟପଟେ ଏହି ରାସ୍ତା ନିର୍ମାଣରେ ବିଳମ୍ବ ହେବାରୁ ପୂର୍ବରୁ ସାଇମନ୍ଦିର ସମ୍ମୁଖରେ ପଡ଼ିଥିବା କ୍ରସର ଡଷ୍ଟ ଏତେ ମାତ୍ରାରେ ଧୂଳି ଉଡ଼ୁଛି ଯେ ସେହି ରାସ୍ତାଦେଇ ଯାତାୟାତ କରିବା ମୁସ୍କିଲ ହୋଇ ପଡୁଛି। ଧୂଳି ଧୂଆଁରେ ଅସ୍ତବ୍ୟସ୍ତ ହେଉପଡ଼ୁଛନ୍ତି ସାଧାରଣ ଜନତା। ଏହି ରାସ୍ତା ଉପରେ ହଜାର ହଜାର ଲୋକ ନିର୍ଭର କରୁଥିବା ବେଳେ ସେମାନଙ୍କୁ ପ୍ରତ୍ୟେକ ଦିନ ତାଙ୍କ ଜୀବନକୁ ବାଜିରେ ଲଗାଇବାକୁ ପଡୁଛି । ଯାହାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ତେଜୁଛି । ସୂଚନାଯୋଗ୍ୟଯେ ଏହି ରାସ୍ତାଟି ସିଧାସଳଖ ରାଜଧାନୀକୁ ସଂଯୋଗ କରୁଥିବା ଏହା ଉପରେ କେବଳ ସ୍ଥାନୀୟ ଲୋକ ନୁହନ୍ତି ବରଂ ବାଲିପାଟଣା, ନିଆଳି , ନିମାପଡ଼ା ଆଦି ଅଂଚଳରୁ ଭୁବନେଶ୍ଵର ଯାଉଥିବା ପ୍ରାୟ ଅଧିକାଂଶ ଲୋକ ଏହି ରାସ୍ତାଦେଇ ଟଙ୍କପାଣି/ସାଇମନ୍ଦିର ଯୋଗେ ରାଜଧାନୀକୁ ଯାଆନ୍ତି। ମାସ ମାସ ଧରି ଏପରି ଅବସ୍ଥାରେ ରାସ୍ତାଟି ଅଛି। ସ୍ଥାନୀୟ ସାଂସଦ, ବିଧାୟକଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ମଧ୍ୟ ଏହି ରାସ୍ତା ଦେଇ ଯିବା ଆସିବା କରୁଥିଲେ ସୁଦ୍ଧା କାହାର ନଜର ପଡୁନଥିବା ନେଇ ପ୍ରଶ୍ବବାଚୀ ସୃଷ୍ଟି ହେଉଛି । ପାଖାପାଖି ୩୦ହଜାର ରୁ ଉର୍ଦ୍ଧ ଲୋକ ଦୈନିକ ଏହି ରାସ୍ତା ଉପରେ ନିର୍ଭରଶୀଳ। ହଜାର ହଜାର ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ରାସ୍ତା କାମ କରିବାପାଇଁ ସାଧାରଣରେ ଦାବି ହୋଇଛି।