ଜାତୀୟସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିବା ସହ ବିପୁଳ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି। ଜାତୀୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରୁଥିବା ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ କେନ୍ଦ୍ର ସରକାର ଦେଉଥିବା ପୁରସ୍କାରର ୬ ଗୁଣ ଅର୍ଥ ରାଶି ଏବଂ ଦ୍ୱିତୀୟ ସ୍ଥାନ ଅଧିକାର କଲେ ୩ ଗୁଣ ଓ ତୃତୀୟ ସ୍ଥାନ ପାଇଲେ ରାଜ୍ୟ ସରକାର ୨ ଗୁଣ ଅଧିକ ଆର୍ଥିକ ପୁରସ୍କାର ପ୍ରଦାନ କରିବେ।
ଘୋଷଣା ଅନୁଯାୟୀ ଗଞ୍ଜାମ ଜିଲ୍ଲା ପରିଷଦକୁ ₹୩୦ କୋଟି, ପ୍ରଥମ ସ୍ଥାନ ଅଧିକାର କରିଥିବା ହିଞ୍ଜିଳିକାଟୁ ପଞ୍ଚାୟତ ସମିତିକୁ ₹୧୨ କୋଟି ପୁରସ୍କାର ଦିଆଯାଇଛି। ସେହିପରି ଦ୍ୱିତୀୟ ସ୍ଥାନ ହାସଲ କରିଥିବା କାଞ୍ଚୁରୁ, କୁଲଦା, ଆମ୍ବଗାଁ ଓ ଆଙ୍କୁଲି ପଞ୍ଚାୟତକୁ ₹୨.୨୫ କୋଟି ଲେଖାଏଁ ପୁରସ୍କାର ଓ ତୃତୀୟ ସ୍ଥାନ ହାସଲ କରିଥିବା ବଣାଇଗଡ଼ ପଞ୍ଚାୟତକୁ ₹୧ କୋଟି ପୁରସ୍କାର ପ୍ରଦାନ କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ସାମାଜିକ ସମୀକ୍ଷା’ ଓ ‘ଆମ ପଞ୍ଚାୟତ ସେବା’ ପୋର୍ଟାଲର ଲୋକାର୍ପଣ କରିଛନ୍ତି। ପଞ୍ଚାୟତଗୁଡ଼ିକରେ ହେଉଥିବା ବିଭିନ୍ନ ଉନ୍ନତିମୂଳକ କାମରେ ଅଧିକ ସ୍ୱଚ୍ଛତା ଓ ଦକ୍ଷତା ଆଣିବା ପାଇଁ ଏହି ପୋର୍ଟାଲ ବେଶ ସହାୟକ ହେବ ବୋଲି ସେ କହିଛନ୍ତି।
ଏଥିସହ ପଞ୍ଚାୟତିରାଜ ସଂସ୍ଥାମାନଙ୍କର ସଫଳତାକୁ ଆହୁରି ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ କେତକ ନୂଆ ଘୋଷଣା କରିଛନ୍ତି। ପ୍ରତ୍ୟେକ ଜିଲ୍ଲାରେ ୨ଟି ପଞ୍ଚାୟତ ଚିହ୍ନଟ କରାଯାଇ ୬୦ଟି ‘ପଞ୍ଚାୟତ ଲର୍ଣିଂ ସେଣ୍ଟର’ ସ୍ଥାପନ କରାଯିବ। ସେହିପରି ପଞ୍ଚାୟତ ମଧ୍ୟରେ ସୁସ୍ଥ ପ୍ରତିଯୋଗିତାର ଲକ୍ଷ୍ୟ ନେଇ ‘ଲୋକାଲ ଚାମ୍ପିୟନ ଟ୍ରେନିଂ କାର୍ଯ୍ୟକ୍ରମ’ ଓ ଅନୁସୂଚିତ ଅଞ୍ଚଳର ୭୦ଟି ବ୍ଲକରେ ‘ସାଟେଲାଇଟ୍ ଇଣ୍ଟେରାକ୍ଟିଭ ଟର୍ମିନାଲ’ ସ୍ଥାପନ କରାଯିବ।
ପୁରସ୍କୃତ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ପଞ୍ଚାୟତିରାଜ ସଂସ୍ଥାକୁ “ଗାଁର ସରକାର” ବୋଲି ଅଭିହିତ କରିଛନ୍ତି। ବିକାଶର ବିଭିନ୍ନ ମାପଦଣ୍ଡରେ ଓଡ଼ିଶାର ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ଏବେ ସାରା ଦେଶର ପଥ ପ୍ରଦର୍ଶକ ସାଜିଥିବା ବେଳେ ଲୋକଙ୍କ ଆସ୍ଥା ବଜାୟ ରଖିବାକୁ ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି.