ଅନିଶ୍ଚିତତାରେ ୧୮ ତମ ୬୪ ଯୋଗିନୀ ମହୋତ୍ସବ
ବାଲିଅନ୍ତା:୧୨|୧୨:ଆଉ ମାତ୍ର ଦିନ କେଇଟା ପରେ ପ୍ରସିଦ୍ଧ ତନ୍ତ୍ରପୀଠ ୬୪ ଯୋଗିନୀ ପୀଠରେ ଆରମ୍ଭ ହେବ ୧୮ ତମ ଆନ୍ତର୍ଜାତୀକ ୬୪ ଯୋଗିନୀ ମହୋତ୍ସବ। ମାତ୍ର ଏହି ମହୋତ୍ସବକୁ ଆୟୋଜନ କରିବାପାଇଁ ଆୟୋଜକ ଓ ଅନ୍ୟ ଏକ ଗୋଷ୍ଠୀଙ୍କ ମଧ୍ୟରେ ଏବେ ଟଣାଓଟରା ହେଉଥିବା ଦେଖାଯାଇଛି। କିଏ ଏହି ମହୋତ୍ସବ ଆୟୋଜନ କରିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୀର୍ଘ ୧୭ ବର୍ଷ ତଥା ୨00୬ ରୁ “ନୃତ୍ୟପ୍ରତିଭା” ନାମକ ନୃତ୍ୟ ଅନୁଷ୍ଠାନ ଗ୍ରାମବାସୀ ତଥା ଗ୍ରାମ୍ୟ କମିଟିଙ୍କ ସହଯୋଗରେ ପ୍ରତିବର୍ଷ ଡିସେମ୍ବର ୨୩, ୨୪, ୨୫ ରେ ୩ ଦିନ ବ୍ୟାପି ବହୁ ଘାତ ପ୍ରତିଘାତ ଦେଇ ଆୟୋଜିତ କରି ଆସୁଛି। ଏହି ମହୋତ୍ସବକୁ ଆଞ୍ଚଳିକରୁ ଆନ୍ତର୍ଜାତୀକ ସ୍ତରରେ ପହଁଞ୍ଚାଇବା ନିମନ୍ତେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଆୟୋଜକ ନୃତ୍ୟ ପ୍ରତିଭା ଓ ଗ୍ରାମବାସୀ। ସେହିପରି ଏହି ମହୋତ୍ସବ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହେଉଥିବା ଧଉଳି କଳିଙ୍ଗ ମହୋତ୍ସବ, ରାଜରାଣୀ ମହୋତ୍ସବ ଓ ବିଶ୍ୱ ପ୍ରସିଦ୍ଧ କୋଣାର୍କରେ ଆୟୋଜିତ ହେଉଥିବା ‘କୋଣାର୍କ ମହୋତ୍ସବ’ ସହ ସମକକ୍ଷ l ମାତ୍ର ଚଳିତ ବର୍ଷ ଏହି ମହୋତ୍ସବକୁ ନେଇ ଅନିଶ୍ଚିତତା ଦେଖାଦେଇଛି l ଗୋଟିଏ ପଟେ ପୂର୍ବ ଆୟୋଜକ ଏହି ମହୋତ୍ସବ କରିବାକୁ ଅଣ୍ଟା ଭିଡୁଥିବା ବେଳେ ଅନ୍ୟପଟେ ଆଉ ଗୋଟେ ଗୋଷ୍ଠୀ ଏହା କରିବାପାଇଁ ପ୍ରସ୍ତୁତ ଚଳାଇଛନ୍ତି। ୨ ଜଣଙ୍କ ମଧ୍ୟରେ କୌଣସି ସଠିକ ନିଷ୍ପତ୍ତି ହୋଇପାରୁନଥିବା ଦେଖାଦେଇଛି। ଅପରପକ୍ଷରେ ଏହି ମହୋତ୍ସବକୁ ପ୍ରତିବର୍ଷ ଦେଶବିଦେଶରୁ ବହୁ ଖ୍ୟାତିସମ୍ପନ୍ନ କଳାକାର ଯୋଗଦେଇଥାନ୍ତି। ଏମାନେ ନିଜ କଳାକୃତି ପ୍ରଦର୍ଶନ କରି ମହୋତ୍ସବ ତଥା ଏହି ଯୋଗିନୀ ପୀଠର ଶୋଭାବର୍ଦ୍ଧନ କରିବା ସହ ବିଶ୍ୱ ଦରବାରରେ ପୀଠର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଏହି ମହୋତ୍ସବକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ହଜାର ହଜାର ଦର୍ଶକ ମନଭରି ଉପଭୋଗ କରିଥାନ୍ତି। ଏହି ମହୋତ୍ସବ ଦ୍ୱାରା ଆମ ଐତିହ୍ୟ ଓ ପରମ୍ପରାକୁ ଉଜ୍ଜୀବିତ କରିବା ସହ କଳାସଂସ୍କୃତିକୁ ଦେଶବିଦେଶରେ ପରିଚିତ କରିଥାଏ। ମାତ୍ର ଏହି ଆନ୍ତର୍ଜାତୀକ ମହୋତ୍ସବକୁ ଆୟୋଜନ କରିବାକୁ ନେଇ ଏଭଳି ଭାବେ ଟଣାଓଟରା ହେବା ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଏଥିରେ କୌଣସି ରାଜନୀତି ନ ପୁରାଇ ପରସ୍ପର ମଧ୍ୟରେ ସଠିକ ବୁଝାମଣା ହୋଇ ଏହି ମହୋତ୍ସବକୁ ଆୟୋଜନ କରିବାପାଇଁ ବୁଦ୍ଧିଜୀବୀ ଓ କଳାପ୍ରେମୀ ମାନେ କହିଛନ୍ତି।